Menu

Sabara Srikhetra

ଶାବର ଶ୍ରୀକ୍ଷେତ୍ର ପରିକ୍ରମା ବିଧି

    ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚୁଥିବା ଭକ୍ତ ଓ ଯାତ୍ରୀମାନେ ନିମ୍ନ କ୍ରମରେ ପୀଠ ପରିକ୍ରମା କରିପାରିବେ । 

    ଶାବର ଶ୍ରୀକ୍ଷେତ୍ରସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପ୍ରକଳ୍ପକୁ ପୂର୍ବଦିଗରୁ ନିର୍ମିତ ହୋଇଥିବା ପାହାଚ ଅଥବା ପଶ୍ଚିମଦିଗରୁ ଲମ୍ବିଥିବା ପିଚୁରାସ୍ତାରେ ଆସିବାକୁ ହୁଏ । ପିଚୁରାସ୍ତା ଓ ପାହାଚର ସନ୍ଧିସ୍ଥଳରୁ ପରିକ୍ରମା ଆରମ୍ଭହୁଏ । ପ୍ରକଳ୍ପରେ ତିନୋଟି ବେଢା ରହିଛି । ପ୍ରଥମ ବେଢା ବା ଉପରବେଢା, ୨ୟବେଢା ବା ମଝିବେଢା, ତୃତୀୟ ବେଢା ବା ତଳବେଢା । ଯାତ୍ରୀ ପ୍ରଥମେ ଉପରୋକ୍ତ ସନ୍ଧିସ୍ଥଳରେ ପହଞ୍ଚୁ ପହଞ୍ଚୁ ସମ୍ମୁଖରେ ପଡ଼େ  ନଳକୂପ । ଏଠାରେ ଗୋଡ଼ ହାତ ମୁହଁ ଧୋଇ ଉତ୍ତର ଦିଗକୁ ମୁହଁ କରି ଠିଆ ହେଲେ ବାମ ପାଖରେ ବାଟଗଣେଶ ଅଛନ୍ତି । ସେଠାକୁ ଯାଇ ଭକ୍ତ ତାଙ୍କର ଦର୍ଶନ ସର୍ବ ପ୍ରଥମେ କରିବେ ତାପରେ ପୂର୍ବ ପଟରେ ପାଉଛ ଦେଇ ତଳବେଢାକୁ   ଓହ୍ଲାଇବେ । ତଳବେଢା (ପୂର୍ବଦିଗକୁ)ରେ ପ୍ରଥମେ ସିଦ୍ଧ ମହାବୀରଙ୍କ ଦର୍ଶନ କରି କ୍ରମାନ୍ୱୟରେ ଶ୍ରୀବଳଦେବଜୀଉ, ନୀଳମାଧବ, ଅଲାରନାଥ, ରଘୁନାଥ, ଅନନ୍ତ ବାସୁଦେବ, ବରାହନାଥ, ମାର୍ଜାରକେଶରୀ, ନୃସିଂହନାଥ, ବିରଞ୍ଚିନାରାୟଣ, କ୍ଷୀରଚୋରା ଗୋପିନାଥ, ମହାବିନାୟକ, ଲଡୁବାବା, ଆଖଣ୍ଡଳମଣି, ଗୋକର୍ଣ୍ଣେଶ୍ୱର, ଗୁପ୍ତେଶ୍ୱର, ବିରୁପାକ୍ଷ, ଚନ୍ଦ୍ରଶେଖର, ଲିଙ୍ଗରାଜ, ତାରାତାରିଣୀ, ପାଟଣେଶ୍ୱରୀ, ଅର୍ଦ୍ଧାଶନୀ, ସିଦ୍ଧଭୈରବୀ, ନାରାୟଣୀ, ସାରଳା, ଭଟ୍ଟାରିକା, ସାମଲାଇ, ହିଙ୍ଗୁଳା, ତାରିଣୀ, କୀଚକେଶ୍ୱରୀ, ଭଗବତୀ, ମଙ୍ଗଳା, ଚର୍ଚ୍ଚିକା, କଟକଚଣ୍ଡୀ, ବ୍ୟାଘ୍ରଦେବୀ, ମାଣିକେଶ୍ୱରୀ ଓ ସୁବର୍ଣ୍ଣମେରୁଙ୍କୁ ଦର୍ଶନ କରି ୩ୟବେଢାର ପରିକ୍ରମା ଶେଷ କରିବେ । ଏ ସମସ୍ତ ଦେବଦେବୀ ଉତ୍କଳଖଣ୍ଡର । ଭକ୍ତ ଯଥାରିତୀ ଦେବତାଙ୍କ ସମ୍ମୁଖରେ ଠିଆ ହୋଇ ଧ୍ୟାନ କରିପାରନ୍ତି । ସମସ୍ତ ଦେବଦେୀଙ୍କ ସ୍ୱତନ୍ତ୍ର ଧ୍ୟାନ ମାନ ରହିଛି । ଏହାପରେ ପାଉଛ ଉଠି ଆସିଲେ ସମ୍ମୁଖରେ ଭାଗବତ ଘର । ଏଠାରେ ଓଡ଼ିଆ ଭାଗବତ୍‌କାର ଜଗନ୍ନାଥ ଦାସଙ୍କ ଦାରୁ ବିଗ୍ରହ ଦର୍ଶନ କରିସାରି ୨ୟ ବେଢା ଆଡକୁ ଉଠିଥିବା ପାହାଚ ଦେଇ ଅଗ୍ରସର ହେବେ । ସିଂହଦ୍ୱାରରେ ପହଞ୍ଚିବା ବେଳକୁ ବାମ ପାଶ୍ୱର୍ରେ ସୂଚନା କେନ୍ଦ୍ର । ଏହାର ପାଶ୍ୱର୍ଦେଇ ବାମ ଦିଗରେ ପ୍ରବେଶ କଲେ ୨ୟ ବେଢାର ପ୍ରାରମ୍ଭରେ ଶବରେଶ୍ୱର ମହାଦେବଙ୍କୁ ଦର୍ଶନ କରିବେ । ତାପରେ କ୍ରମାନ୍ନୟରେ ଶ୍ରୀଅମରନାଥ, କେଦାରନାଥ, ବୈଷ୍ଣୋବେଦୀ, ପଶୁପତିନାଥ, ବ୍ରହ୍ମକୁଣ୍ଡ ଓ ନାରାୟଣୀ ଶିଳା, ପୃଥୀଶ୍ୱର, ଶ୍ରୀଗୋବିନ୍ଦଜୀଉ, ଶ୍ରୀକୃଷ୍ଣ (ବାଳଗୋପାଳ), ଶ୍ରୀଭୂତନାଥ, ପ୍ରୟାଗ ରାଜେଶ୍ୱର, ବ୍ରହ୍ମଶିଳା, କାଶୀବିଶ୍ୱନାଥ, ବିରଜା, କାଳୀ, କାମାକ୍ଷୀଙ୍କୁ ଦର୍ଶନ କରି ଗାୟତ୍ରୀ ଯଜ୍ଞବେଦୀଠାରେ    ପହଞ୍ଚିବେ । ଏହି ଯଜ୍ଞ ସ୍ଥଳୀର ଉଭୟ ପାଶ୍ୱର୍ରେ ଭକ୍ତମାନଙ୍କର ପ୍ରସାଦ ସେବନ ପାଇଁ ପ୍ରଶସ୍ତ କ୍ଷେତ୍ର ରହିଛି । ଏଠାରେ ଉତ୍କଳୀୟ ରୀତିରେ ଅଙ୍କାଯାଇଥିବା ଝୋଟି ଓ ଚିତାମାନଙ୍କର ଭିତ୍ତିଚିତ୍ର ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରେ । ଗାୟତ୍ରୀ ଦେବୀଙ୍କୁ ଦର୍ଶନ କରି ଡାହାଣ ଆଡକୁ ଅଗ୍ରସର ହେଲେ କ୍ରମାନ୍ୱୟରେ ବଦ୍ରୀନାଥ, ଦ୍ୱାରିକାନାଥ, ରାମେଶ୍ୱର, ସୋମନାଥ, ବ୍ରହ୍ମାଜୀ, ଶ୍ରୀନାଥ, ମହାକାଳେଶ୍ୱର, ବିଠଲଜୀ, ମୁଖଲିଙ୍ଗେଶ୍ୱର, ଶ୍ରୀକୂର୍ମ, ବରାହ ନୃସିଂହ, ଭେଙ୍କଟେଶ୍ୱର ବାଲାଜୀ, ଆୟାପ୍‌ପା, ମୀନାକ୍ଷୀ ଏବଂ ଶ୍ରୀରଙ୍ଗମ୍‌ଙ୍କୁ ଦର୍ଶନ କରି ୨ୟବେଢା ପରିକ୍ରମା ଶେଷ    କରିବେ । ୨ୟ ବେଢାରେ ବିଜେ କରିଥିବା ଦେବଦେବୀ ପୁଣ୍ୟଭୂମି ଭାରତବର୍ଷର ବହୁ ପ୍ରସିଦ୍ଧ ତୀର୍ଥସ୍ଥଳୀର ପ୍ରଖ୍ୟାତ ଦେବଦେବୀ । ଏହି ସମସ୍ତ ଦେବଦେବୀଙ୍କର ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ମାନ ରହିଛି । ଭକ୍ତ ଦେବତାଙ୍କ ସମ୍ମୁଖରେ କରପତ୍ର ଯୋଡ଼ି ଧ୍ୟାନ କରିପାରିବେ । ପୂଜା ନୈବେଦ୍ୟ ମଧ୍ୟ କରିପାରିବେ । ଏହାପରେ ବାଇଶୀ ପାଉଚ ଉଠିଗଲେ ଗରୁଡସ୍ତମ୍ଭ ଏବଂ ସମ୍ମୁଖରେ ମୁଖ୍ୟମନ୍ଦିର । ଗରୁଡସ୍ତମ୍ଭଠାରୁ ବାମ ପାଶ୍ୱର୍କୁ ଯାଇ ଶ୍ରୀମହାବୀର, ଗଣେଶ, ସୂର୍ଯ୍ୟ, ଲକ୍ଷ୍ମୀନୃସିଂହ, ବିମଳା, ସରସ୍ୱତୀ, ପର୍ଣ୍ଣଶବରୀ, ଶ୍ରୀଲକ୍ଷ୍ମୀ ଓ ନବଗ୍ରହଙ୍କୁ ଦର୍ଶନକରି ୧ମ ବେଢା ପରିକ୍ରମା ଶେଷ କରିବେ । ଏହି ବେଢାରେ ବିଜେ ଦେବଦେବୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଶ୍ୱର୍ଦେବଦେବୀ । ଭକ୍ତ ପ୍ରତ୍ୟେକ ଦେବଦେବୀଙ୍କ ସମ୍ମୁଖସ୍ଥ ମଣ୍ଡପରେ ଧ୍ୟାନ ଯପ ପୂଜା ଆରାଧନା କରିପାରିବେ । ଏହି ପରିକ୍ରମା ଅନ୍ତେ ପୁନଃରପି ଗରୁଡ଼ସ୍ତମ୍ଭ ଦେଇ ପୂର୍ବଦ୍ୱାରରୁ ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟଦର୍ଶନ ଲାଭ କରିବେ । ମୁଖ୍ୟମନ୍ଦିରର ଉତ୍ତର ଦିଗରେ ଚମ୍ପକ ବନ ମଧ୍ୟରେ ଶବରଙ୍କ ଇଷ୍ଟଦେବ ମାତ୍ତାରବ୍ନମଙ୍କ ମନ୍ଦିର । ବାଇଶି ପାହାଚ ଦେଇ ଓହ୍ଲାଇ ଭକ୍ତ ଚମ୍ପକ ବଣ ଭିତରେ ପ୍ରବେଶ କରିପାରିବେ । 
    ଶାବର ଶ୍ରୀକ୍ଷେତ୍ର ପ୍ରକଳ୍ପର ଅନ୍ତର୍ଗତ ବହୁ ଅନୁଷ୍ଠାନ ରହିଛି । ଯଥା -
୧. ଶାବର ସଂସ୍କୃତି ଗବେଷଣା କେନ୍ଦ୍ର
୨. ଶାବର ଶ୍ରୀକ୍ଷେତ୍ର ପାଠ କେନ୍ଦ୍ର
୩. ଶାବର ଶ୍ରୀକ୍ଷେତ୍ର ଯୋଗ ପ୍ରଶିକ୍ଷଣ କେନ୍ଦ୍ର
୪. ଶାବର ଶ୍ରୀକ୍ଷେତ୍ର କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର
୫. ଶାବର ଶ୍ରୀକ୍ଷେତ୍ର ସଦ୍‌ଗ୍ରନ୍ଥ ଭଣ୍ଡାର
୬. ଶାବର ଶ୍ରୀକ୍ଷେତ୍ର ଶ୍ରୀଭଣ୍ଡାର 
ଏବଂ ପାଶ୍ୱର୍ରେ ଗାୟତ୍ରୀ ଜ୍ଞାନ ମନ୍ଦିର ।
    ଭକ୍ତମାନେ ଆବଶ୍ୟକମତେ ଏଗୁଡ଼ିକୁ ବୁଲି ଦେଖିପାରନ୍ତି । ନିକଟରେ ଶାବର ଶ୍ରୀକ୍ଷେତ୍ର ପ୍ରକଳ୍ପର ସହଯୋଗୀ ଅନୁଷ୍ଠାନମାନ ରହିଛି ଯଥା -
୧. ଆଦିବାସୀ ସଂଗ୍ରହାଳୟ
୨. ବିଶ୍ଲେଷଣାତ୍ମକ ଆଦିବାସୀ ଗବେଷଣା କେନ୍ଦ୍ର । 
    ଯାତ୍ରୀମାନଙ୍କର ଶାବର ଶ୍ରୀକ୍ଷେତ୍ରରେ ରହଣିର ସୁବିଧା ପାଇଁ ରହିଛି - 
୧. ଶାବର ଶ୍ରୀକ୍ଷେତ୍ର ଅତିଥି ଭବନ
୨. ଶାବର ଶ୍ରୀକ୍ଷେତ୍ର ଯାତ୍ରୀ ନିବାସ । 
    ଏତଦ୍‌ବ୍ୟତୀତ ବିଭିନ୍ନ ସରକାରୀ ଗେଷ୍ଟହାଉସ୍‌, ଡାକବଙ୍ଗଳା ଓ ବେସରକାରୀ ଲଜିଂ ହାଉସ ମାନ ମଧ୍ୟ ରହିଛି । 
    ନିକଟରେ ସୁନାବେଡ଼ାସ୍ଥ ପାନ୍ଥନିବାସ ଓ ଏଚ.ଏ.ଏଲ୍‌. ଗେଷ୍ଟହାଉସ୍‌ ଓ ଜୟପୁରର ଲଜିଂ ହାଉସ୍‌ ସମୂହ । ପ୍ରକାଶ ଥାଉକି ସୁନାବେଡା ଓ ଜୟପୁର ଉଭୟ କୋରାପୁଟର ବିପରୀତ ଦିଗରେ ୨୨ କି.ମି. ଦୂରରେ ଅବସ୍ଥିତ ।