କୋରାପୁଟ ପରି ଏକ ଉପାନ୍ତ ଅଞ୍ଚଳରେ ଗୋଟିଏ ସଂସ୍କୃତ ବିଦ୍ୟାଳୟ/ମହାବିଦ୍ୟାଳୟ ଖୋଲି ଏ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଷଷ୍ଠ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସଂସ୍କୃତ ସହିତ ବିଭିନ୍ନ ବିଷୟରେ ପାଠ୍ୟକ୍ରମ ଅଧ୍ୟୟନ କରିବା ସହ ଉତ୍ସାହୀ ଆବାଳ ବୃଦ୍ଧ ବନିତାଙ୍କୁ ଯୋଗ ଓ କର୍ମକାଣ୍ଡ ଶିକ୍ଷା ଗ୍ରହଣ କରିବା ପାଇଁ ସୁଯୋଗ ଦେବା ନିମନ୍ତେ ଶାବର ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଆନୁକୂଲ୍ୟରେ ଶାବର ଶ୍ରୀକ୍ଷେତ୍ର ସଂସ୍କୃତ ବିଦ୍ୟାପୀଠ ସ୍ଥାପନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର କରୁଣାରୁ କୋରାପୁଟବାସୀଙ୍କ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। କୋରାପୁଟସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଦ୍ୱାରା ସଂସ୍କୃତ ବିଦ୍ୟାପୀ ଆରମ୍ଭ କରିବା ପାଇଁ ଅନୁମତି ମିଳିବା ସହ ଶାବର ଶ୍ରୀକ୍ଷେତ୍ର ସଂସ୍କୃତ ବିଦ୍ୟାପୀଠକୁ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ ସହ ଅନୁବନ୍ଧିତ କରାଯାଇଛି। ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ୍ର କର୍ମକର୍ତ୍ତା, ଜୟପୁରର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନିପତି ଏବଂ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛଙ୍କ ସକ୍ରୀୟ ସହଯୋଗରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିଛି। ଗତ ୨୦୨୫ ରଥଯାତ୍ରା ସମୟରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧମେନ୍ଦ୍ର ପ୍ରଧାନ, ଓଡ଼ିଶାର କେତେଜଣ ମାନ୍ୟବର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଗଣ ଓ ଦିଲ୍ଲୀସ୍ଥିତ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଆଦି ଶାବର ଶ୍ରୀକ୍ଷେତ୍ର ଆସି ରଥାରୂଢ଼ ଦିଅଁମାନଙ୍କୁ ଦର୍ଶନ କରିବା ସହିତ ରଥଟାଣି ଥିଲେ। ସେହି ସମୟରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ କୁଳପତି ଏଠାରେ ଗୋଟିଏ ସଂସ୍କୃତ ବିଦ୍ୟାପୀଠ ଖୋଲିବାର ସ୍ୱପ୍ନ ଏବଂ ଆବଶ୍ୟକତା ବିଷୟରେ ଅବଗତ ହୋଇଥିଲେ। ଏହି ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଶ୍ରୀଜଗନ୍ନାଥ ମନ୍ଦିରର ସଦସ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ସହ ପରାମର୍ଶ ପରେ ପ୍ରସ୍ତାବିତ ଶାବର ଶ୍ରୀକ୍ଷେତ୍ର ବିଦ୍ୟାପୀଠକୁ ଅନୁବନ୍ଧିତ କରିବା ନିମନ୍ତେ କ୍ଷେତ୍ର ପ୍ରଦର୍ଶନ ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଅନୁଧ୍ୟାନ କମିଟି ଏଠାକୁ ଆସି କ୍ଷେତ୍ର ପରିଦର୍ଶନ କରିଥିଲେ। ଗତ ତା. ୧୮.୦୯.୨୦୨୫ ରିଖରେ ସଂପୃକ୍ତ ଅନୁଧ୍ୟାନ କମିଟି ଶାବର ଶ୍ରୀକ୍ଷେତ୍ର ଆସି ମନ୍ଦିରର ବିଭିନ୍ନ ଅନୁଷ୍ଠାନ ଯଥା, ଜ୍ଞାନ ମନ୍ଦିର ଓ ପାଠାଗାର, ଯାତ୍ରୀ କୁଟୀର, ନବନିର୍ମିତ କଲ୍ୟାଣ ମଣ୍ଡପ ଆଦି ପରିଦର୍ଶନ କରି ପୋଡ଼ାଗଡ଼ ନିକଟସ୍ଥ ମନ୍ଦିର ପରିଚାଳିତ ପଞ୍ଚବଟୀ ଉଦ୍ୟାନ ପାଇଁ ସେଠାକାର ଜମିବାଡ଼ି ଓ ଘରଦ୍ୱାର ଦେଖିଥିଲେ ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କମିଟିର ଅନୁକୂଳ ପରିଦର୍ଶନ ମନ୍ତବ୍ୟ ପାଇଲା ପରେ ନୂଆଦିଲ୍ଲୀର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ତାଙ୍କର ପତ୍ର ସଂଖ୍ୟା. ୧୧୫୪, ତାରିଖ. ୨୫-୦୯-୨୦୨୫ରେ କୋରାପୁଟରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଶାବର ଶ୍ରୀକ୍ଷେତ୍ର ସଂସ୍କୃତ ବିଦ୍ୟାପୀଠକୁ ଅନୁବନ୍ଧନ ପ୍ରଦାନ କରିଛନ୍ତି।
ବର୍ତ୍ତମାନ ପାଇଁ ଏହି ଅନୁଷ୍ଠାନରେ ପ୍ରଥମା, ପୂର୍ବମଧ୍ୟମା, ପ୍ରାକ୍ ଶାସ୍ତ୍ରୀ, କର୍ମକାଣ୍ଡ ଓ ପୁରୋହିତ୍ୟ ପାଠ୍ୟକ୍ରମ ତଥା ଯୋଗ ଶାସ୍ତ୍ରରେ ପି.ଜି. ଡିପ୍ଲୋମା ଅଧ୍ୟୟନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି।
ଏହିସବୁ ପାଠ୍ୟକ୍ରମ ନିମନ୍ତେ ଉତ୍ସାହୀ ଶିକ୍ଷାର୍ଥୀମାନଙ୍କୁ ଯୋଗାଡ଼ କରିବା ପାଇଁ କୋରାପୁଟ ଅଞ୍ଚଳର ବିଭିନ୍ନ ମନ୍ଦିର ପରିଚାଳନା ସଂସ୍ଥାର କତ୍ତୃପକ୍ଷ, ଜନପ୍ରତିନିଧି, ସାମ୍ବାଦିକ ବନ୍ଧୁ ତଥା ବିଭିନ୍ନ ସ୍ଥାନର ଜଣାଶୁଣା ବ୍ୟକ୍ତି ବିଶେଷଙ୍କର ସହଯୋଗ କାମନା କରାଯାଉଛି। ଶାବର ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ସଂସ୍ଥା ପ୍ରଥମାବସ୍ଥାରେ ଆବଶ୍ୟକୀୟ ଜମି, ଘର, ଉପକରଣ, ଛାତ୍ରାବାସ, ଶ୍ରେଣୀଗୃହ ଇତ୍ୟାଦି ଯୋଗାଇ ଦେଉଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋ ଓ ଅନୁଦାନ ପାଇବା ପାଇଁ ପ୍ରୟାସ କରାଯିବ।
ପ୍ରଭୁ ଜଗନ୍ନାଥଙ୍କର କରୁଣା ଓ ଜନପ୍ରତିନିଧି ଓ ଜନସାଧାରଣଙ୍କର ସାହାଯ୍ୟ ତଥା ସହଯୋଗରେ ଏ ମହତ୍ ଅନୁଷ୍ଠାନଟି ପୂର୍ଣ୍ଣାଙ୍ଗ ରୂପ ନେବ ବୋଲି ଆଶା କରାଯାଉଛି।
ସଂପାଦକ
ଶ୍ରୀଜଗନ୍ନାଥ ମନ୍ଦିର, କୋରାପୁଟ